ମାତୃଭାଷାରେ ମେସିନ୍‌ଲର୍ଣ୍ଣିଂ

ଆରମ୍ଭ, ମାତୃଭାଷାରେ ଯନ୍ତ୍ରଶିକ୍ଷା ! ମାତୃଭାଷାରେ ମେସିନ୍‌ଲର୍ଣ୍ଣିଂ ମଧ୍ୟ କହିପାରିବା। ମେସିନ୍‌ଲର୍ଣ୍ଣିଂ ଏକ ଟେକ୍ନୋଲେଜି। ଏଆଇ ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍‌ର ଉପପରିଧିରେ ଆସୁଥିବା ଏକ ଟେକ୍ନୋଲୋଜି ହେଉଛି ମେସିନ୍‌ଲର୍ଣ୍ଣିଂ। ମେସିନ୍ କେମିତି ନିଜେ ଶିଖିବ ସେବିଷୟରେ ଅନେକ ଦିନରୁ ଚିନ୍ତା ଚାଲିଛି। ସୋଫ୍ଟୱେର୍ ଇଞ୍ଜିନିୟରିଂ ଓ ଡାଟା ସାଇନ୍ସ୍ ବ୍ୟବହାର କରି ମେସିନ୍‌କୁ ନିଜେ ଶିଖିବାର ଉପାୟ ବୈଜ୍ଞାନିକମାନେ ବାହାରକରିପାରିଛନ୍ତି ଓ ତାକୁ ଉନ୍ନତ କରିବାର ଗବେଷଣା କରିଚାଲିଛନ୍ତି ।ହେଲେ ସେ ସମ୍ବନ୍ଧରେ ସମସ୍ତ ଜ୍ଞାନ ଇଂରାଜୀରେ କହିଲେ ଅତ୍ୟୁକ୍ତି ହେବନାହିଁ । ହେଲେ ମାତୃଭାଷାରେ କେମିତି ଶିଖିବା ମେସିନ୍‌ଲର୍ଣ୍ଣିଂ? ଏ ଲେଖାଟି ସେ ଉତ୍ତର ଦେବାର ଚେଷ୍ଟା କରିବ।ମେସିନ୍ କଣ ବୁଝିବା; ଲର୍ଣ୍ଣିଂ କଣ ବୁଝିବା , ଦୁଇଟିକୁ ଯୋଡ଼ିବା ଆଉ ମେସିନ୍‌ଲର୍ଣ୍ଣିଂକୁ ବୁଝିଯିବା।ମାତୃଭାଷାରେ ବୁଝିଲେ ଭଲ ବୁଝିହେବ ବୋଲି ଭାବନା। ଆମ ମାତୃଭାଷା ଓଡ଼ିଆ। ତେଣୁ ଆମେ ପ୍ରଥମେ ଓଡ଼ିଆରେ ମେସିନ୍‌ଲର୍ଣ୍ଣିଂକୁ ବୁଝିବା । ମେସିନ୍ : ଯାହା ଆମ କାମକୁ ସୁବିଧାରେ କରିଦିଏ ତାକୁ ଆମେ ଯନ୍ତ୍ର କହୁ, ଇଂରାଜୀରେ ଯନ୍ତ୍ରକୁ ମେସିନ୍ କୁହାଯାଏ ।ଲର୍ଣ୍ଣିଂ : ଇଂରାଜୀରେ ଶିଖିବା କୁ ଲର୍ଣ୍ଣିଂ କୁହାଯାଏ । ମେସିନ୍‌ଲର୍ଣ୍ଣିଂ ହେଉଛି ଯନ୍ତ୍ର ଶିକ୍ଷା। ହେଲେ ଯନ୍ତ୍ରଟିଏ ଶିଖିବ କେମିତି ? ଶିଖିବାର ସୋଫ୍ଟୱୋର ଅଛି । ସୋଫ୍ଟୱେର୍ କୁ ଆମେ ସୁକ୍ଷ୍ମତନ୍ତ୍ର କହିପାରିବା। ହାର୍ଡୱେର ରୁ ସ୍ଥୁଳତନ୍ତ୍ର କହିପାରିବା। ସେ ସୋଫ୍ଟୱେର୍ ତିଆରିକରି ଯନ୍ତ୍ରଭିତରେ ପୁରାଇବା ହେଉଛି ମେସିନ୍‌ଲର୍ଣ୍ଣିଂ ଇଞ୍ଜିନିୟର୍ ମାନଙ୍କ କାମ। ଯନ୍ତ୍ରଟିଏ ତାର ସ୍ଥୁଳତନ୍ତ୍ରରେ ସୁକ୍ଷ୍ମତନ୍ତ୍ର ବ୍ୟବହାର କରି ଶିଖିବ। ସୁକ୍ଷ୍ମତନ୍ତ୍ରରେ ସେ ଶିଖିବା ବ୍ୟବସ୍ଥା କରାଯାଇଥାଏ । ସେ ସୁକ୍ଷ୍ମତନ୍ତ୍ର ହିଁ ସ୍ଥୁଳତନ୍ତ୍ରକୁ ନିୟନ୍ତ୍ରଣ କରେ । ଠିକ୍ ପୃଥିବୀରେ ଅନ୍ୟ ସମସ୍ତ ଚଳପ୍ରଚଳକରୁଥିବା ଚିଜ ଭଳି। ଯନ୍ତ୍ରଶିକ୍ଷାରେ ଏ ସୁକ୍ଷ୍ମତନ୍ତ୍ର ଟିକେ ଅଲଗା।ସୁକ୍ଷ୍ମତନ୍ତ୍ରକୁ ଆଗରୁ କିଛି ନିର୍ଦ୍ଦେଶ ଦିଆଯାଇନଥାଏ, ତାହା ନିଜ ଆଖପାଖ ଚିଜକୁ ଦେଖିଶୁଣି ଅନୁଭବ କରି ଶିଖେ, ଯେମିତି ଛୋଟପିଲାଟି ଶିଖେ ସେମିତି ! ପିଲାଟିଏ କଡ଼ଲେଉଟାଇବା ଶିଖିଯାଏ ନିଜେନିଜେ, ଭାଷା ଶିଖେ ତାର ପରିପାର୍ଶ୍ୱରୁ ଶୁଣିଶୁଣି, ପଣକିଆ ଶିଖେ ଘୋଷିଘୋଷି, ଗଣିତ ଶିଖେ ମାସ୍ଟ୍ରେଙ୍କ ଠୁଁ ବୁଝି, ବାଲିଘର ତିଆରିକରିବା ଶିଖେ ସାଙ୍ଗମେଳରେ , କବିତା ଲେଖା ଶିଖାଯାଏ ଭାବରୁ ଶବ୍ଦର ଛନ୍ଦ ଶିଖି ଓ ନୂତନ ସୃଜନାକରି, ଚିତ୍ରଅଙ୍କାମଧ୍ୟ ସେମିତି , ଭାବକୁ ରଙ୍ଗରେ ରଙ୍ଗତୂଳାରେ ସଜେଇବା ଶିଖି ଓ ସୃଜନା କରି। ସେମିତି ଯନ୍ତ୍ରର ସୁକ୍ଷ୍ମତନ୍ତ୍ରର ଶିଖିବାର ରାସ୍ତା ଅଲଗାଅଲଗା। କିଛି ଉପାୟରେ ଜଣାଥିବା ତଥ୍ୟକୁ ନିଜେ ନିରୀକ୍ଷଣ କରି ସୁକ୍ଷ୍ମତନ୍ତ୍ର ଶିଖେ । କିଛି ଉପାୟରେ ସୁକ୍ଷ୍ମତନ୍ତ୍ରକୁ ଶିଖାଇବାପାଇଁ ପଡ଼େ। ଆଉକିଛି ଉପାୟରେ ଯନ୍ତ୍ର ନିଜଶିକ୍ଷାକୁ ପାରିପାର୍ଶ୍ୱିକ ଅବସ୍ଥିତିରୁ ଶିଖେ ଓ ନିଜର ସାମର୍ଥ୍ୟକୁ ବଢ଼ାଏ। ଆଉ କିଛି ଉପାୟ ସୃଜନା କରିବାର। ଖାଲି ମାତୃଭାଷାରେ ଏମିତି ଲେଖିଲେ ଆମେତ ବୁଝିବା ହେଲେ ପୃଥିବୀରେ ସମସ୍ତେ ଏ ବିଷୟରେ କି ଭାଷାରେ କଥାବାର୍ତା ହେଉଛନ୍ତି ଜାଣିଲେ ଆମେ ନିଜକୁ ସେ ଉନ୍ନତି ସହ ତାଳ ଦେଇପାରିବା। ସୁପର୍‌ଭାଇଜ୍‌ଡ୍ ଲର୍ଣ୍ଣିଂ : ସେହି ଉପାୟ ଯାହାଦ୍ୱାରା ଯନ୍ତ୍ରର ସୁକ୍ଷ୍ମତନ୍ତ୍ରକୁ ଥିବା ତଥ୍ୟଦ୍ୱାରା ଶିଖାଇବାପାଇଁ ପଡ଼େ। ଅନ୍‌ସୁପର୍‌ଭାଇଜ୍‌ଡ୍ ଲର୍ଣ୍ଣିଂ : ସେହି ଉପାୟ ଯାହାଦ୍ୱାରା ଯନ୍ତ୍ରର ସୁକ୍ଷ୍ମତନ୍ତ୍ର ଜଣାଥିବା ତଥ୍ୟକୁ ନିଜେ ନିରୀକ୍ଷଣ କରି ନିଜେ ଶିଖେ । ରୈନ୍‌ଫୋର୍ସ୍‌ମେଣ୍ଟ୍ ଲର୍ଣ୍ଣିଂ : ଯାହାଦ୍ୱାରା ଯନ୍ତ୍ରର ସୁକ୍ଷ୍ମତନ୍ତ୍ର ପାରିପାର୍ଶ୍ୱିକ ଅବସ୍ଥିତିରୁ ଶିଖେ ଓ ନିଜର ସାମର୍ଥ୍ୟକୁ ବଢ଼ାଏ। ଭାବୁଥିବେ ଏତିକି କଥାରେ ତ ପୁରା ପାଠ ହେବନି , ଆଉ ଅଧିକ କେମିତି ଜାଣିବା , ମାତୃଭାଷାରେ ଯନ୍ତ୍ରଶିକ୍ଷା କେମିତି ଶିଖିବା? ଆମେ ଦେଖୁଥିବା ସହଜ ଉଦାହରଣରୁ ଆରମ୍ଭ ହେଉ । ଆମ ଆଖପାଖରେ ଥିବା ଯନ୍ତ୍ରଟିଏ ଦେଖିଲେ ମନରେ ପ୍ରଶ୍ନ ଆସୁ , ଏ ଯନ୍ତ୍ରଟି ଯାହା କରୁଛି , କେମିତି କରୁଛି? ଯାହା କରୁଛି ସେ କରିବାରୁ କିଛି ଶିଖୁଛିକି? କଣ କଲେ ସେ ଶିଖିବ? କି ଉପକରଣ ଦରକାର ? କି ପାଠ ଅଛି ସେଥିରେ ? ମାତୃଭାଷାରେ ଯନ୍ତ୍ରଶିକ୍ଷା ପାଇଁ କି ପାଠପଢ଼ା ଦରକାର? ସାଧାରଣଜ୍ଞାନ , ଜିଜ୍ଞାସା , ଜିଜ୍ଞାସାରୁ ଜ୍ଞାନ ପର୍ଯ୍ୟନ୍ତ ଯାତ୍ରାର ଧୈର୍ଯ୍ୟ, ଏ ସବୁ ପ୍ରଥମେ ଦରକାର । ତାପରେ ଗଣିତ , କମ୍ପ୍ୟୁଟର ଭାଷା , ସୁକ୍ଷ୍ମତନ୍ତ୍ର ପ୍ରଯୁକ୍ତି ବିଜ୍ଞାନ, ଏମିତି କିଛି ପାଠପଢ଼ା ଦରକାର। କି ପାଠ ବୁଝିଲେ କି ପ୍ରକାରର କାମ କରିହେବ ଯନ୍ତ୍ରଶିକ୍ଷାରେ ? ଆରମ୍ଭକରିବା ପାଇଁ କେବଳ ଜିଜ୍ଞାସା ଆବଶ୍ୟକ, କାମ କରିବାପାଇଁ ହେଲେ ସମୟକ୍ରମରେ ଗଣିତରେ ଯୋଗ ବିଯୋଗ ହରଣ ଗୁଣନ ଫେକ୍ଟୋରିଆଲ୍ , ପର୍ମୁଟେସନ୍ , କମ୍ବିନେସନ୍ , ପ୍ରୋବାବିଲିଟି , ସ୍ଟାଟିସ୍ଟିକ୍ସ୍ , ବେୟେସିଆନ୍ ନେଟ୍ୱାର୍କସ୍ , ମାଟ୍ରିକ୍ସ୍ , ଭେକ୍ଟର୍ , କାଲ୍କୁଲସ୍ ଇତ୍ୟାଦି ଦରକାର ପଡ଼ିବ। ଯେକୌଣସି ଏକ କମ୍ପ୍ୟୁଟର ଭାଷା ଦରକାର, କମ୍ପ୍ୟୁଟର ଭାଷାରେ ସର୍ତ୍ତ, ପୁନଃପୌନିକ ପ୍ରକ୍ରୀୟା , ଇନ୍ପୁଟ୍ ଆଉଟ୍ପୁଟ୍ ଭଳି ମୂଳ ସୁତ୍ର କିଛି ଧରିବା ଦରକାର । ମାତୃଭାଷାରେ ପଢ଼ିଲେ ନିଯୁକ୍ତି ମିଳିବତ ଏମ୍ ଏନ୍ ସି ରେ ? ନିଶ୍ଚିତ ମିଳିବ । ମୌଳିକ ଚିନ୍ତାଧାରା ସବୁ ସମୟରେ ଅମୌଳିକ ଚିନ୍ତାଧାରାରୁ ଉନ୍ନତ। ମାତୃଭାଷାରେ ଚିନ୍ତାକଲେ ମୌଳିକ ଚିନ୍ତା ଆସିବ ଓ ତାର ମୂଲ୍ୟସୃଷ୍ଚିକାରୀ ଶକ୍ତି ଅଧିକ ହେବ। ମୂଲ୍ୟସୃଷ୍ଚିକାରୀ ଚିନ୍ତାନାୟକ ନାୟିକା ମାନଙ୍କୁ ଖୋଜନ୍ତି ସମସ୍ତେ , ଏମ୍ ଏନ୍ ସି ସେ ମଧ୍ୟରେ ଅନ୍ତର୍ଭୁକ୍ତ। ବୁଝିବା ଓ ବୁଝାଇପାରିବାର କଳା ସମସ୍ତଙ୍କ ପାଇଁ ଆବଶ୍ୟକ। ତା ପରେ ରହିଲା ଇଂରାଜୀ ଭାଷାରେ ଆନ୍ତର୍ଜାତୀୟ ସାକ୍ଷାତକାରରେ ସଫଳତା । ତା ପାଇଁ ଇଂରାଜୀ ଶିଖିବା ବା ଇଂରାଜୀ ଅନୁବାଦକ ବ୍ୟବହାର କରିବାର ଉଦାହରଣ ଅନେକ ଅଛି । ”ବିଶୁ ମହାରଣା କେଉଁ ଇଂରାଜୀରେ ଇଞ୍ଜିନିୟରିଂ କରିଥିଲେ?” କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କର ସେ ପ୍ରଶ୍ନ ଅନେକ ପ୍ରଯୁଜ୍ୟ। ସେ ଭାବନାରେ ଉନ୍ନତିକୁ ଦେଖିବାର କଥା! ମାତୃଭାଷାରେ ଯନ୍ତ୍ରଶିକ୍ଷାର ଏମିତି ସବୁ କଥା , ଏମିତି ସବୁ ଯନ୍ତ୍ରଶିକ୍ଷାରେ ଉନ୍ନତିର ରାସ୍ତା! ମୌଳିକ ନବ ଭାବନା ଦରକାର ଯନ୍ତ୍ରଶିଷା କ୍ଷେତ୍ରରେ , ମାତୃଭାଷାରେ ଶିଖିଲେ ଆସିବ ସେ ମୌଳିକ ନବଭାବନା । ମାତୃଭାଷାରେ ଚିନ୍ତାକରିହିଁ ହୁଏତ ଜଣେକିଏ ଉଦ୍ଭାବନକରିବ ସିଙ୍ଗୁଲାରିଟିର , ଯାହା ପଛରେ ସାରା ବିଶ୍ୱ ଅନେକ ଦିନରୁ ଖୋଜିଆସୁଛି। ମାତୃଭାଷାରେ ଯନ୍ତ୍ରଶିକ୍ଷା ହେଉ ବା ମେସିନ୍‌ଲର୍ଣ୍ଣିଂ ! ଶିକ୍ଷା ହିଁ କାମ୍ୟ , ସଫଳତା ହିଁ କାମ୍ୟ । ସେ ସଫଳତା କାମନାରେ ଏ ଲେଖାର ଶେଷବାକ୍ୟ । ଆରମ୍ଭ, ମାତୃଭାଷାରେ ଯନ୍ତ୍ରଶିକ୍ଷା !

Science

11
Jul
2023 2:45 AM


ମାତୃଭାଷାରେ ମେସିନ୍‌ଲର୍ଣ୍ଣିଂ